Fashion

ଆନ୍ତଃ ଜିଲ୍ଲା କାର ଲୁଟେରା ଗିରଫ

   ମଞ୍ଚେଶ୍ବର ଥାନା ପୁଲିସ ଗତକାଲି ୩ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା କାର ଲୁଟେରାଙ୍କୁ ଯାଜପୁରରୁ ଗିରଫ କରି କୋଟ ଚାଲାଣ କରିଥିଲା । ଏମାନଙ୍କୁ ରିମାଣ୍ଡରେ ଆଣିବା ଲାଗି ବ୍ରହ୍ମପୁର ପୁଲିସ ଆବେଦନ କରିଛି । ସେମାନଙ୍କ ନାମରେ ୨୦୧୪ ଓ ୨୦୧୫ରେ ଦୁଇଟି ହତ୍ୟା ଅଭିଯୋଗ ଥିବା ପୁଲିସ ଜାଣିବାକୁ ପାଇଛି । ସେମାନେ ୨୦୧୪ରେ ବ୍ରହ୍ମପୁର ବଡବଜାରରୁ ଜଣେ ଟାଟା ଏସି ଚାଳକକୁ ନିଶା ଦେଇ, ହତ୍ୟା କରି ଗାଡି ଲୁଟ୍ କରିଥିଲେ । ସେହିପରି ୨୦୧୫ରେ ଦିଗପହଣ୍ଡି ଅଞ୍ଚଳରେ ଚାଳକଙ୍କୁ ପଥରରେ ଛେଚି ହତ୍ୟା କରି ଟାଟା ମ୍ୟାଜିକ ଲୁଟିଥିଲେ । ଏ ନେଇ ବ୍ରହ୍ମପୁର ପୁଲିସ ଠୋସ୍ ପ୍ରମାଣ ହାସଲ କରିଛି । ଖାଲି ସେତିକି ନୁହେଁ ଏମାନଙ୍କ ନାମରେ ଢେଙ୍କାନଳ, ଯାଜପୁର ଓ ବ୍ରହ୍ମପୁରରେ ୧୩ଟି ମାମଲା ରହିଛି । ତାଛଡା ଏହି ଲୁଟରାଙ୍କ ନାମରେ ଭୁବନେଶ୍ୱର ମଞ୍ଚେଶ୍ୱର, ବାଲିଅନ୍ତା ଓ ବାଲିପାଟଣା ଥାନାରେ ୧୧ଟି ମାମଲା ଥିବା ପୁଲିସ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି । ଏହି ଲୁଟେରାମାନ ହେଲେ ହେଲେ ଢ଼େଙ୍କାନାଳ ଜିଲ୍ଲା ମୋଟାଙ୍ଗ ଥାନା ହାଣ୍ଡିପୁଟ ଗାଁର ଧରମାନନ୍ଦ ରାଉତ, ଯାଜପୁର ଜିଲ୍ଲା ମଙ୍ଗଳପୁରର ବ୍ରହ୍ମାନନ୍ଦ ସାହୁ ଓ ତାରାମଦନ ଗାଁର ସେକ୍ ଆଜିଉଲ୍ । ଏମାନଙ୍କ ଠାରୁ ମଞ୍ଚେଶ୍ୱର ପୁଲିସ ୪ଟା ଟାଟା ଏସିଇର ଇଂଜିନ୍ ଓ ଚେଚିସର କିଛି ଖଣ୍ଡ ଜବତ କରିଛି ।

ପୁଲିସ୍ ରିପୋର୍ଟ ଅନୁଯାୟୀ, ଏହି ୩ କାର ଲୁଟେରା କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଅଞ୍ଚଳରୁ କାର୍, ମିନି ଟ୍ରକ୍, ଡାଲା ଅଟୋ ଓ ଅଟୋ ଚୋରି କରୁଥିଲେ । ଆଉ ସେ ସବୁକୁ ନେଇ ଯାଜପୁରର ଟାଉନ୍ ଅଞ୍ଚଳରେ ଏକ ଗ୍ୟାରେଜରେ ଖୋଲି ଅଲଗା ଅଲଗା କରି ବିକ୍ରି କରୁଥିଲେ । ପାଣ୍ଡରା ମୁଣ୍ଡାବସ୍ତିର ରତନ ମଣ୍ଡଳଙ୍କ ସ୍ତ୍ରୀ ମାଳତୀ ତାଙ୍କର ଟାଟା ଏସି ଚୋରି ହୋଇଯାଇଥିବାର ଥାନାରେ ଅଭିଯୋଗ କରିଥିଲେ। ସେହିପରି ଗତ ଜାନୁଆରୀ ମାସରେ ମଧ୍ୟ ଜଗନ୍ନାଥ ନଗରରେ ଏକ ଟାଟା ମ୍ୟାଜିକ୍ ଚୋରି ହୋଇ ଯାଇଥିବା ସିଦ୍ଧାର୍ଥ ଗୌଡ଼ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରି ମଞ୍ଚେଶ୍ୱର ପୁଲିସ ପୂର୍ବରୁ ଚାରି ଚକିଆ ଚୋରି କରି ଜେଲ୍ ଯାଇଥିବା ଲୁଟେରାଙ୍କ ଫାଇଲ୍ ଖେଳାଇଥିଲେ । ସେଥିରୁ ଦୁର୍ଦ୍ଦାନ୍ତ ଲୁଟେରା ଧରମାନନ୍ଦ ନାଁ ଆଗରେ ଥିଲା । ସେ ଦୀର୍ଘ ଦିନ ଜେଲରେ ରହିବା ପରେ ୨୦୧୫ ଡିସେମ୍ବର ୨୫ ପଦାକୁ ଆସିଥିବା ପୁଲିସ ଜାଣିବାକୁ ପାଇଥିଲା । ତା’ ଗତିବିଧି ଉପରେ ନଜର ରଖିଥିଲା ପୁଲିସ୍ । ତା’ପରେ ପୁଲିସ୍ ଧରମାନନ୍ଦ, ବ୍ରହ୍ମାନନ୍ଦ ଓ ସେକ୍ ଆଜିଉଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

 


Author: UpdateNewsOdisha