Fashion

ପରଦା ପଛର ଦୁଃଖ

୮୦ବର୍ଷର ସୁଦୀର୍ଘ ଯାତ୍ରା

  ୮୦ବର୍ଷର ସୁଦୀର୍ଘ ଯାତ୍ରା । ଏପ୍ରିଲ୍ ୨୮ତାରିଖ ୧୯୩୬ରେ ପୁରୀରେ କଳାପ୍ରାଣ ଶ୍ରୀ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଚେଷ୍ଟାର ସଫଳ ରୂପାୟନ ରୂପେ ଉଭା ହୋଇଥିଲା ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତା ବିବାହ’ । ସହିଛି ଅନେକ ଘାତ, ପ୍ରତିଘାତ । କେବେ ପ୍ରଯୋଜକଙ୍କ ଅର୍ଥାଭାବ ମେରୁଦଣ୍ଡ ଭାଙ୍ଗିଦେଇଛି ତ କେବେ ମହାବାତ୍ୟାର ମହାତାଣ୍ଡବ ସାଜିଛି ଖଳନାୟକ । ତଥାପି ଆମ ଚଳଚ୍ଚିତ୍ର ମୁଣ୍ଡ ଟେକି ଠିଆ ହୋଇଛି । କିନ୍ତୁ ନିଜ ଭିତରର ଅସଲ ଗୁମର ଖୋଲି ନପାରି ଗୁମୁରି ଗୁମୁରି ଝରାଉଛି ତା’ର ମନ ତଳର କୋହ ।
    ସଂଖ୍ୟାତ୍ମକ ଦୃଷ୍ଟିରୁ ବିଚାର କଲେ ଯେଉଁଠି ବର୍ଷକୁ ଗୋଟିଏ କି ଦୁଇଟି ସିନେମା ହେଉଥିଲା, ଆଜି ସେଇଠି ବାର୍ଷିକ କୋଡିଏରୁ ଉଦ୍ଧ୍ୱର୍ ସିନେମା ରିଲିଜ୍ ହେଉଛି । ଗୁଣାତ୍ମକ ଦୃଷ୍ଟିରୁ ବିଚାର କଲେ ଖୁବ୍ କମ୍ ସିନେମା ଅଛି ଯାହା ଉଭୟ କଳାତ୍ମକ, ବ୍ୟାବସାୟିକ ଦୃଷ୍ଟିରୁ ସଫଳ ସିନେମା ରୂପେ ବିବେଚିତ ହେବ । ଓଡିଆ ସନେମାରେ ନା ଶିରୋନାମା, ନା ସଂସ୍କୃତି କିଛି ବି ପ୍ରତିଫଳିତ ହେଉନାହିଁ । ସବୁ କେବଳ ବାହାର ସିନେମାର ରାତିଅଧିଆ ନକଲ । ରୋଲ୍ସ ଟୁ ଏଇଟ୍, ଆଇ ଲଭ୍ ୟୁ, ବର୍ଷା ମାଇର୍ ଡାର୍ଲିଂ, ମୋଷ୍ଟ ୱାଂଟେଡ୍, ନନ୍ଦିନୀ ଆଇ ଲଭ୍ ୟୁ, ଲଭ୍ ୟୁ ହମେସା, ସୁପର ମିଛୁଆ, କ୍ରିମିନାଲ୍, ଫିୟର୍ ଅଫ୍ ଦି ଇୟର, ମୁନ୍ନା ଏ ଲଭ୍ ଷ୍ଟୋରୀ, ନାମକରଣ ଆମ ଓଡିଆ ପ୍ରୀତିର ବଳିଷ୍ଠ ପ୍ରମାଣ ।

  ଆମର ସେଦିନର ‘ଆଜି ଆକାଶେ କି ରଙ୍ଗ ଲାଗିଲା’ ‘ସାଗରେ ଅଧୀର ନୀଳ ତରଙ୍ଗ’ ‘ଜୀବନ ଧନ ମୋର ପଖାଳ କଂସା’ ‘ମୋ ଆଖିର କେତେ କଥା’ ଗୀତଗୁଡିକର ଓଡିଆ ଭାବ ଖୋଜିବା ଏବେ ମୂର୍ଖତା । ବରଂ ଆମେ ଆଜି ଚଳଚ୍ଚିତ୍ରରୁ ପାଉଥିବା ଗୀତ ‘କଂଚା ହଳଦୀ, ‘ନଡିଆ ତେଲ’ ପ୍ରଭୃତିର ଗାନ, ସ୍ୱର, ତାଳ, ଲୟ ଆଉ ଭାଷାରେ ଗୀତିମୟତା କେଉଁଆଡେ ଯାଉଛି ତାହା ସମସ୍ତେ ଅନୁଭବ କରୁଛନ୍ତି ।
କାହାଣୀରେ ଓଡିଆତ୍ୱ ଖୋଜିବା ବିଡମ୍ବନା ମାତ୍ର । ଆମ ମାଟି ପାଣି ପବନରେ ବାହାରର କଥା, ବାହାରିଆ ଚରିତ୍ରଙ୍କ ଚଳପ୍ରଚଳ ହାଇବ୍ରୀଡ୍ ବିହନର ଚମକାଣ ଦିନେ ଓଳିଏ ସିନା ଆମକୁ ଉତେଜିତ କରେ, ମାତ୍ର ସପ୍ତାହଟେ ପରେ ସବୁକିଛି ମନସିଲଟରୁ ଲିଭିଯାଏ । ଆମ ଝିଅମାନେ ନାୟିକା ହେବାକୁ ଅସମର୍ଥ । ବାହାରର ଝିଅମାନେ ଆମ ସିନେମାରେ ନାୟିକା ହେବା ‘କଟକ ଧୋବଣୀ ଗାାଁରେ ରାଣୀ’ ହେବା ଭଳି କଥା । ଆମ କଳାକାର ମନେମନେ ସୁପରଷ୍ଟାର ।

    ଆମ ସିନେମାରେ ଚାଲିଛି ବାହାର ଖଳନାୟକଙ୍କ ଖେଳଖଳବ । ଆମ ସ୍ୱରକାରମାନେ ଦକ୍ଷିଣୀ ସ୍ୱରକୁ ନକଲ କରି ବାହାବାହା ନେବାରେ ଓସ୍ତାଦ୍ । ଆମ ସମାଜର ଅନେକ ମାଫିଆଙ୍କ କଳାଟଙ୍କାରେ ପ୍ରଯୋଜିତ ହେଉଛି ଆମର ସିନେମା । ରାତାରାତି ସେମାନେ ଓ ସେମାନଙ୍କ ଧର୍ମପତ୍ନୀ ମଧ୍ୟ ଏକାଧାରରେ କାହାଣୀକାର, ସଂଳାପକାର, ନିଦେ୍ର୍ଦଶକ ସାଜୁଛନ୍ତି । ଓଡିଆ ନିଦେ୍ର୍ଦଶକଙ୍କ ଜାଗା ଦଖଲ କରି ନେÿଉଛନ୍ତି ଅନେକ ଦକ୍ଷିଣୀ ନୃତ୍ୟନିଦେ୍ର୍ଦଶକ । କଳାକାର ଭାବରେ ପିଢୀପୁତ୍ର କନ୍ୟାଙ୍କର ଅଭିନୟ ପ୍ରବେଶ ସେପରି ଉତ୍ସାହପ୍ରଦ ନୁହେଁ । ଅନେକ ଅଭିନେତା ରାଜନେତା ପାଲଟିଗଲା ପରେ ବି ସେମାନଙ୍କ ଇଚ୍ଛାଶକ୍ତିର ଅଭାବରୁ ଓଡିଶାର ଏକମାତ୍ର ଷ୍ଟୁଡିଓ ଭୂତକୋଠି ପାଲଟିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଶିକ୍ଷଣ ସଂସ୍ଥା କଟକର ଏଫ୍.ଟି.ଆଇ.ଓ. କଥା ଉଚ୍ଚାରଣ ନକରିବା ଭଲ । ବର୍ତମାନ ଅନେକ ପ୍ରେକ୍ଷାଳୟ ବିବାହମଣ୍ଡପ ଓ ଗୋଦାମଘର ପାଲଟିବା ଆମ କଳାପ୍ରେମର ନିଦର୍ଶନ ।
ଏବେ ପୂରା କମଳଟି ରୁମମୟ, କାହାକୁ ଉପାଡିବେ ଉପାଡନ୍ତୁ ନା ।


Author: Sambit