Fashion

ସାମ୍ପ୍ରତିକ ପରିବେଶ ସନ୍ତୁଳନରେ ଗଣମାଧ୍ୟମ


ଘନ ଜନସଂଖ୍ୟା, ସୀମିତ ସ୍ଥାନରେ ଆଶାତୀତଙ୍କ ବସବାସ ତଥା ବର୍ଜ୍ୟବସ୍ତୁର ଇତସ୍ତତଃ ପ୍ର୍ରକ୍ଷପଣ ଭଳି ଅନେକ ପ୍ରକାରର ଦାୟିତ୍ୱହୀନତା ହେତୁ ଆମେ ସମସ୍ତେ ଏକ ପ୍ରଦୂଷିତ ପରିବେଶରେ ବାସ କରୁଛେ । ବିଭିନ୍ନ ପ୍ରକାର ପ୍ରଦୂଷଣ ଯଥା-ଜଳଭାଗରେ ଭାସମାନ ତୈଳାକ୍ତ ପଦାର୍ଥ,ବନ ଉଚ୍ଛେଦ, ଓଜୋନ ଆସ୍ତରଣରେ କ୍ଷତ, ମୃତିକା କ୍ଷୟ, ବନ୍ୟଜନ୍ତୁ କ୍ଷୟ ଇତ୍ୟାଦି ଆମକୁ ବହୁମାତ୍ରାରେ କ୍ଷତାକ୍ତ କରିଚାଲିଛି । ଆଉ ଏସବୁର ପରୋକ୍ଷ ବା ପ୍ରତ୍ୟକ୍ଷ ପ୍ରଭାବ ମାନବ ସମାଜ ଉପରେ ପଡ଼ୁଛି । ଏହି ସବୁ ପ୍ରଦୂଷଣ ପ୍ରକୃତି ଦ୍ୱାରା ନହୋଇ ମାନବ ଦ୍ୱାରା ସଂଘଟିତ ହୋଇଛି । ଆମମାନଙ୍କର ନିଜ ସୁବିଧା ସୁଯୋଗ ହାସଲ ପାଇଁ ପ୍ରକୃତି ଉପରେ ଅତ୍ୟଧିକ ଅତ୍ୟାଚାରର ପରିଣାମ ସ୍ୱରୂପ ଆମେ ସମସ୍ତେ ପ୍ରଦୂଷଣର ଶୀକାର ହେଉଛୁ । ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ବହୁ ଉଦ୍ୟମ ଜାରି ରହିଛି । କିନ୍ତୁ ଏ ଉଦ୍ୟମରେ ଅଳ୍ପ ସଂଖ୍ୟକଙ୍କ ଆନ୍ତରିକତାହୀନ ସଂପୃକ୍ତି ଓ ବହୁଲୋକଙ୍କ ଅସହଯୋଗ ହେତୁ ଏହାର ସଂପୂର୍ଣ୍ଣ ସଫଳତା ମିଳିପାରୁନି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମର ନିହାତି ଆବଶ୍ୟକ । ଏହି ବିରାଟ ବିପଦରୁ ମୁକ୍ତ ରଖିବାର ଉପାୟ କେବଳ ଗଣମାଧ୍ୟମର ସଚେତନ ଦ୍ୱାରା ସମ୍ଭବ । ଗଣମାଧ୍ୟମ ତାର ବହୁମୁଖୀ ସୂଚନା ପ୍ରଦାନ ସେବାଦ୍ୱାରା ଲୋକଙ୍କୁ ପରିବେଶ ପ୍ରତି ସଚେତନ କରିପାରିବାରେ ସାମର୍ଥ୍ୟ ରଖିଛି ।
ଦିନକୁ ଦିନ ଆମେ ଧ୍ୱଂସ ଆଡକୁ ଗତିକରୁଛେ । ଅତିବାଇଗଣୀ ରଶ୍ମୀ ଠାରୁ ରକ୍ଷା କରୁଥିବା ଓଜୋନ ସ୍ତରରେ ଛିଦ୍ର, ଗ୍ଲୋବାଲ ୱାର୍ମିଂ, ସମୁଦ୍ରର ବାରମ୍ବାର କୂଳଲଂଘନ ଇତ୍ୟାଦି ମାନବର ପ୍ରକୃତି ଉପରେ ଯଥେଚ୍ଛାଚାର ଅତ୍ୟାଚାରର ପରିଣାମ । ଏଥିରୁ ବର୍ତ୍ତିବାର ଉପାୟ ନଥିବା ବେଳେ, କେବଳ ସଚେତନତା ଫଳରେ ଏହାର ମାତ୍ରା ହ୍ରାସ କରିହେବ । ଗଣମାଧ୍ୟମ ଲୋକଙ୍କୁ ପରିବେଶଜନିତ ବିପଦ ପ୍ରତି ବହୁ ମାତ୍ରାରେ ସତର୍କ କରାଇଥାଆନ୍ତି ।
୧୯୬୨ମସିହାରେ ରାସେଲ କରସନ୍ଙ୍କ “ସାଇଲେଣ୍ଟ୍ ସ୍ପ୍ରିଙ୍ଗ” ପ୍ରକାଶିତ ହୋଇଥିଲା । ଏହି ପୁସ୍ତକରେ ପେଷ୍ଟିସାଇଡ୍ ଦ୍ୱାରା ପ୍ରକୃତିରେ ହେଉଥିବା କ୍ଷତି ବିଷୟରେ ଆଲୋଚନା କରାଯାଇଛି । ଏହି ପୁସ୍ତକଟି ସମଗ୍ର ବିଶ୍ୱର ପାଠକ ମାନେ ପଢିଛନ୍ତି ଏବଂ ଏହାଦ୍ୱାରା ସଚେତନ ମଧ୍ୟ ହୋଇଛନ୍ତି । ଆମ ଦେଶରେ ମଧ୍ୟ ଅନେକ ପରିବେଶ ବିଜ୍ଞାନୀ ଗଣମାଧ୍ୟମ ଦ୍ୱାରା ପରିବେଶ ପ୍ରତି ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି । ସରକାରୀ ବିଭାଗ ପରିବେଶ ସହିତ ଜଡିତ କିଛି ସୂଚନା ଲୁଚେଇ ରଖିଲେ ମଧ୍ୟ ଗଣମାଧ୍ୟମ । ଅନୁସନ୍ଧାନମୂଳକ ସାମ୍ବାଦିକତା (ଇନ୍ଭେଷ୍ଟିଗେଟିଭ ଜର୍ଣ୍ଣାଲିଜିମ୍) ଦ୍ୱାରା ଜନତାଙ୍କ ସାମ୍ନାକୁ ଆଣନ୍ତି । ଏକ ଅନୁସନ୍ଧାନମୂଳକ ରିପୋର୍ଟ ଦ୍ୱାରା ଭାରତରେ ୧୫୭୪ଟି ଡ୍ୟାମ୍ ଅବହେଳିତ ଅବସ୍ଥାରେ ବନ୍ଦ ହୋଇ ପଡିଥିବାର ଖବର ଳୋକଙ୍କ ପାଖରେ ପହଞ୍ଚିଲା । ଏହାଦ୍ୱାରା ସ୍ଥାନୀୟ ଲୋକ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବାରୁ ବଞ୍ଚିଗଲେ ।
ବହୁ ପରିବେଶବିଜ୍ଞାନୀ ସୂଚନା ଓ ସଚେତନ କରିବା ଦିଗରେ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ବ୍ୟବହାର କରନ୍ତି । ଉଭୟ ଛାପା ଓ ବୈଦୁ୍ୟତିକ ଗଣମାଧ୍ୟମ ପରିବେଶ ସମ୍ବନ୍ଧୀୟ ଖବରକୁ ଭଲ ଭାବରେ ଉପସ୍ଥାପନ କରିଥାନ୍ତି । ଉଦାହରଣ ସ୍ୱରୂପ- ମଧ୍ୟପ୍ରଦେଶ ରାଜ୍ୟର ‘ନୟୀ ଦୁନିଆଁ ‘ନାମକ ଏକ ଦୈନିକ ହିନ୍ଦୀ ଖବରକାଗଜ ମଣ୍ଡାସୁର ଜିଲ୍ଲାରେ ଥିôବା ଚୂନପଥର ଖଣିରେ କାମ କରୁଥିବା ଶ୍ରମିକଙ୍କ କଥା ଲୋକଲୋଚନକୁ ଆଣିଥିଲେ ଏବଂ ସରକାରଙ୍କ ତରଫରୁ ସେମାନଙ୍କୁ ଆର୍ଥିକ ସାହାଯ୍ୟ ସହିତ ଚିକିତ୍ସା ସୁବିଧା ମିଳିଥିଲା । ଏହା କେବଳ ଗଣମାଧ୍ୟମ ଦ୍ୱାରା ସମ୍ଭବ ହୋଇପାରିଛି । ପରିବେଶ ବିଜ୍ଞାନୀ ମାନଙ୍କର ଏହି କାର୍ଯ୍ୟ ସହିତ ଗଣମାଧ୍ୟମର ପ୍ରଚେଷ୍ଟା ପରିବେଶ ସୁରକ୍ଷା ଦିଗରେ ଏକ ଅତ୍ସଭାବେ କାର୍ଯ୍ୟକରୁଛି ।
ଆର୍ଥିକ ସମସ୍ୟାର ସମାଧାନ ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି ସମ୍ଭବ ନହେବା ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଦିଗରେ ନେବାକୁଥିବା ଉଲ୍ଲେଖନୀୟ ପଦକ୍ଷେପ ଗୁଡିକ ସମ୍ଭବପର ହେବନାହିଁ । ଯେପର୍ଯ୍ୟନ୍ତ ଗୋଟିଏ ପରିବେଶ ଜନିତ ସମସ୍ୟା ସମୂହସମାଜ ପାଖରେ ପହଞ୍ଚି ପାରୁନାହିଁ, ସେପର୍ଯ୍ୟନ୍ତ ପରିବେଶ ସୁରକ୍ଷା ହୋଇପାରିବ ନାହିଁ । କେତେକ ଗଣମାଧ୍ୟମ ତାଙ୍କର ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଜାଣିଶୁଣି ସିଗ୍ରେଟ୍୍ , ଗୁଟକା ଆଦି ପରିବେଶ ପ୍ରଦୂଷକ ପଦାର୍ଥର ବିଜ୍ଞାପନରେ ବହୁ ଅର୍ଥ ଉପାର୍ଜନ କରୁଛନ୍ତି ।
ଗଣମାଧ୍ୟମ ଗଣଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଗଣଙ୍କ ସ୍ୱାର୍ଥ ପାଇଁ ପରିବେଶ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରିଚାଲିଛି । ଅନେକ ବିକଶିତ ରାଷ୍ଟ୍ର ସେମାନଙ୍କର ପରିବେଶ ସୁରକ୍ଷା ଓ ସୁରକ୍ଷା ଜନିତ ସଚେତନତା ପାଇଁ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି । ଏଥିସହିତ ବିକାଶଶୀଳ ରାଷ୍ଟ୍ର ପାଇଁ ସେହି ଆଦର୍ଶକୁ ଅବଲମ୍ବନ କରିବାକୁ କହୁଛନ୍ତି । ଗଣମାଧ୍ୟମ ଗଣସୁରକ୍ଷାର ଫସଲକ୍ଷେତର ସୁରକ୍ଷା ନିମନ୍ତେ ଏକ ପ୍ରକାର ବାଡ । ମାତ୍ର ବାଡ ଫସଲ ଖାଇଲେ କହିବା କାହାକୁ?
- ଏ ହେଉଛି ମୋ ପାଇଁ, ଆମପାଇଁ, ସମସ୍ତଙ୍କ ପାଇଁ ଦୀର୍ଘ ପ୍ରଶ୍ନ, ଉତ୍ତର ଓ ସମାଧାନ ଆପଣଙ୍କ ହାତରେ ।

 


Author: Sambit