Fashion

ଯେଉଁଠି ବିଜୁ ପକ୍କାଘର ଓ ଇନ୍ଦିରା ଆବାସ ସାତସପନ

 

 

  ସରକାରଙ୍କ ତରଫରୁ ଭୂମିହିନ ଓ ଅସହାୟଙ୍କୁ ଘରପଟା ଓ ବିଭିନ୍ନ ଯୋଜନା ଯଥା – ଇନ୍ଦିରା ଆବାସ , ବିଜୁ ପକ୍କାଘର , ଯୋଜନା ମାଧ୍ୟମରେ ପ୍ରଶାସନ ପକ୍କାଘର ଯୋଗାଇ ଦେବା ପାଇଁ ପ୍ରଚାର କରୁଥିବା ବେଳେ ନାଉଗାଁ ବ୍ଲକରେ ଅସଲ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଓଲଟା । ଅନେକ ଭୂମିହିନ ଅସହାୟ ପରିବାର ବର୍ଷ ବର୍ଷ ଧରି ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି । ଏମାନଙ୍କ ପାଇଁ ସରକାରି ଯୋଜନା ପାଲଟିଛି ସାତସପନ। ଖରା, ବର୍ଷା ଓ ପ୍ରାକୃତିକ ବିପର୍ଯୟରୁ ରକ୍ଷା ପାଇବା ପାଇଁ ଘରଟିଏ ଏମାନଙ୍କ ପାଇଁ ଅସମ୍ଭବ ହୋଇପଡିଛି ।

ନାଉଗାଁ ବ୍ଲକରେ ଥିବା ଘୋଡାଂଶ ପଂଚାୟତର ଚାନ୍ଦଖାପାଟଣା(ମଠସାହି) ଗ୍ରାମରେ ରଂଜନ କୁମାର ପ୍ରଧାନ। ରଞ୍ଜନ ଓ ମାନସି ତାଙ୍କ ୩ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ୨୦ ବର୍ଷ ଧରି ଭଙ୍ଗା କୁଡିଆର ଡିବି ଆଲୁଅରେ ମୁଲଲାଗି କାଟୁଛନ୍ତି ଜୀବନ ।

ସେହିପରି ଶିଖର ପଂଚାୟତର ପତ୍ନି ସାକୁଲି କାଣ୍ଡିଙ୍କ ସହ ପାଂଚ ଝିଅଙ୍କୁ ନେଇ ମୁଲଲାଗି ପରିବାର ପ୍ରତିପୋଷଣ କରନ୍ତି କର୍ଣ୍ଣ କାଣ୍ଡି । ୧୯୯୭ ମସିହାରୁ ଦାଣ୍ଡୁଆ ଠାରେ କୁଡିଆଟିଏ କରି ବର୍ଷା ଖରା ସହି ପଡି ରହିଛନ୍ତି କର୍ଣ୍ଣ । ସେ ଭୂମିହୀନ ହୋଇଥିଲେ ମଧ୍ୟ ପକ୍କାଘର କିମ୍ବା ଜମିପଟା ମିଳିପାରିନାହିଁ ଏବଂ ବିଜୁଳି ଆଲୁଅ ତାଙ୍କ ପାଇଁ ସାତ ସପନ । ସେହିପରି ନାଉଗାଁ ପଂଚାୟତ ଅନ୍ତର୍ଗତ କାନୁନ୍େଗାସାହି ଗ୍ରାମର ପାଠିଏ ବର୍ଷ ବୟସ୍କା ଶାନ୍ତି ଦେବୀ ସ୍ୱାମୀ ପରିତ୍ୟକ୍ତା ହୋଇ ଗୋଟିଏ ମାତ୍ର ଝିଅ ସହ ଅତି ଦଃୁଖରେ ଚଳୁଛନ୍ତି । ଭୁମିହୀନ ହୋଇଥିଲେ ହେଁ ନା ତାଙ୍କୁ ମିଳିଛି ଜମି ପଟା ନା ପକ୍କାଘର । ସବୁ ସୁବିଧାରୁ ସେ ଆଜି ପର୍ଯନ୍ତ ବଂଚିତ ହୋଇ ରାସ୍ତା କଡରେ ମୁଲଲାଗି ଏକ କୁଡିଆ ଘରେ ଦୀର୍ଘ ୨୨ ବର୍ଷ ଧରି ରହି ଆସୁଛନ୍ତି ।

ଗଜରାଜପୁର ପଂଚାୟତର ଶିବ ପ୍ରସାଦ ବାରିକ ଭାତପଡା ଗ୍ରାମରେ ୨ ପୁଅ ସହିତ ଭଙ୍ଗା ଚାଳଘରେ ମୁଲଲାଗି ଜୀବନ ନିର୍ବାହ କରୁଛନ୍ତି । ସେହିପରି ବାଂଶ ପଂଚାୟତର ସୁତୁରା ବାଲିସାହି ଗ୍ରାମର ୫୧ବର୍ଷ ବୟସ୍କ ଗୁରୁ ଚରଣ ଦାସ ତାଙ୍କ ତିନି ଝିଅ ଓ ଗୋଟିଏ ପୁଅଙ୍କ ସହ ଉଠାଦୋକାନ ଟିଏ କରି ଭଙ୍ଗା ଚାଳଘରେ ଦୀର୍ଘ ଦିନ ଧରି ପରିବାର ପ୍ରତିପୋଷଣ କରନ୍ତି । ଦୁଃଖର ବିଷୟ ସରକାରି ରିପୋର୍ଟରେ ତାଙ୍କର ପକ୍କାଘର ଅଛି ବୋଲି ଦର୍ଶା ଯାଉଛି । ଯାହା ଫଳରେ ତାଙ୍କ ପାଇଁ ପକ୍କାଘର ସାତ ସପନ ପାଲଟିଛି । ଏପରି ଅନେକ ଅସହାୟ ଭୂମିହୀନ ସରକାରଙ୍କ ସାହାଯ୍ୟର ଆଢୁଆଳରେ ରହି ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି । ଘର ଖଣ୍ଡିଏ ପାଇଁ ବ୍ଲକ ଓ ପଂଚାୟତ କାର୍ଯ୍ୟାଳୟ ଦଉଡି ଦଉଡି ଆଶା ହିଁ ଆଶାରେ ମରିଯାଇଛି । ଏମାନଙ୍କ ପାଇଁ ଯେମିତି କାହାର ଦରଦ ନାହିଁ ପ୍ରଶାସନ ନା ରାଜନେତା କାହାରି ସାହାଯ୍ୟ ମିଳିିପାରୁ ନାହିଁ । ଦୁଃଖ ଓ ଅସହାୟ ଅବସ୍ଥାରେ ଖରା, ବର୍ଷା, ଶୀତ, କାକର ଖାଇ ଜୀବନ ଅତିବାହିତ କରୁଥିଲାବେଳେ ପକ୍କାଘରଟିଏ ସେମାନଙ୍କ ପାଇଁ ପାଲଟିଛି ସାତ ସପନ । କିନ୍ତୁ ସରକାରଙ୍କ ତରଫରୁ ନାଉଗାଁ ବ୍ଲକରେ ବହୁ ଅର୍ଥ ବ୍ୟୟରେ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଅନେକ କୋଠାଘର ଭୂତକୋଠି ପାଲଟିଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅଲଣାହାଟ, ଗଜରାଜପୁର, କଂଟୁଣିଆରେ ଥିବା କ୍ୱାର୍ଟର, ସବ୍ ସେଂଟର ଗୁଡିକ ବ୍ୟବହାର ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଭୂତକୋଠି ପାଲଟିଛି । ସେହିପରି ନାଉଗାଁ ତହସିଲର କ୍ୱାର୍ଟର, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ଘର, ଦାଣ୍ଡୁଆରେ ଥିବା ଗୋଦାମ ଘର, ବ୍ଲକ ଅଫିସ୍ ସରକାରି କ୍ୱାର୍ଟର ବ୍ୟବହାର ଅଭାବରୁ ଅଳିଆ ଆବର୍ଜନା ହୋଇ ପଡିରହିଛି । ନିର୍ମାଣ ପାଇଁ ଖର୍ଚ ହୋଇଥିବା ଅର୍ଥ ରାଜ୍ୟ ସରକାରଙ୍କ ରାଜକୋଷରୁ କାର୍ଯ୍ୟରେ ନଲାଗି ନଷ୍ଟ ହେଉଥିବା ବେଳେ ପ୍ରଶାସନର ଆଢୁଆଳରେ ଅନେକ ଭୂମିହିନ କଷ୍ଟରେ ରହୁଛନ୍ତି ।

   ଏଥିପ୍ରତି ଦୃଷ୍ଟି ଦେବା ସହ ସରକାରୀ ଅର୍ଥକୁ ଏପରି ଅପବ୍ୟବହାର ନକରି ଗରିବ ଅସହାୟ ଲୋକଙ୍କ ଉପରେ ଦୃଷ୍ଟି ଦେଇ ଭୂମିହୀନ ଗରିବ ମାନଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ସମାଜସେବୀ ପ୍ରଦ୍ୟୁଷ ମହାନ୍ତି, ବିବେକାନନ୍ଦ ବାରିକ, ଯୁବନେତା ତୁଷାର କାନ୍ତ ମହାନ୍ତି, ପଦ୍ମ ଚରଣ ରାଉତ, ଯୁବନେତା ମହାଦେବ ସେଠୀ, ଛାତ୍ରନେତା ସୁନୀଲ କୁମାର ମାଟିଆ ପ୍ରମୁଖ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଏ ଅସହାୟ ପରିବାର ପ୍ରତି କାହାର ଦୃଷ୍ଟି କେବେ ପଡିବ ଓ ପ୍ରଶାସନ କେବେ ତାଙ୍କର ଦଃୁଖ ବୁଝିବ ?

 


Author: Prasanjit, Jagatsinghpur Bureau