Fashion

ଅବ୍ୟବସ୍ଥା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

  କଥାରେ ଅଛି ନାମ ବଡ ଆଉ ଦର୍ଶନ ଛୋଟ । ଏହା ଯେମିତି ସତ ପ୍ରମାଣିତ ହୋଇଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ଷେତ୍ରରେ । ଜଗତସିଂହପୁର ଜିଲ୍ଲାର ସଦର ମହୁମାରେ ଅବସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ହେଲେ ଏଠାରେ ରୋଗୀମାନେ ନାହିଁନଥବା ହଇରାଣ ହେଉଛନ୍ତି । ବିଶେଷକରି ଗର୍ଭବତୀ ମହିଳାମାନଙ୍କ ପାଇଁ ଅବ୍ୟବସ୍ଥାର କଥା କହିଲେ ନସରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ଯେପରି ପ୍ରଚାର, ପ୍ରସାର କରାଯାଇଛି ପ୍ରକୃତପକ୍ଷେ ବ୍ୟବସ୍ଥା ସେପରି ନୁହେଁ । ଏଠାକାର ଚିକିତ୍ସା ବ୍ୟବସ୍ଥା ଅତି ନିମ୍ନମାନର । ଅତି ଗୁରୁତର ରୋଗୀଙ୍କୁ ଏଠାରେ ଚିକିତ୍ସା କରାନଯାଇ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଏ । କିନ୍ତୁ ସମସ୍ତଙ୍କ ପକ୍ଷେ କଟକ ଆସିବା ସମ୍ଭବ ହୁଏ ନାର୍ହି । ଆଉ ରୋଗୀତ ରୋଗୀ ପୁଣି ଗର୍ଭବତୀ । ଏଠାରେ ଗର୍ଭବତୀ ମହିଳାଙ୍କ ପାଇଁ ଶଯ୍ୟା, ସ୍ବଚ୍ଛତା, ବିଦ୍ୟୁତ ବ୍ୟବସ୍ଥା ଧର୍ମକୁ ଆଖିଠାର । ଏହିସବୁ ବ୍ୟବସ୍ଥା ଉପରେ କର୍ତ୍ତୃପକ୍ଷ ଜମା ଧ୍ୟାନ ଦେଉନାହାନ୍ତି । ଆବଶ୍ୟକୀୟ ସଂଖ୍ୟକ ଶଯ୍ୟାର ଅଭାବରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ତଳେ ଶୋଇବାକୁ ପଡୁଛି । ଆଉ ଏମାନେ ଶୋଉଥିବା ଚଟାଣରେ ସ୍ବଚ୍ଛତାର ଟିକିଏ ବି ଚିହ୍ନ ବର୍ଣ୍ଣ ନାହିଁ । ଛାତରେ ଓ କାନ୍ଥରେ ପଙ୍ଖା ଲାଗିଛି ସତ କିନ୍ତୁ ତା ମଧ୍ୟରୁ କିଛି ଗୋଟିଏ ବି ଚାଲୁନାହିଁ । ରୋଗୀମାନେ ଅସହ୍ୟ ଗରମ ସହିନପାରି ତାଳପତ୍ର ତିଆରି ହାତ ବିଞ୍ଚଣାର ଆଶ୍ରା ନେଉଛନ୍ତି ।

ପରିମଳ ବ୍ୟବସ୍ଥା ଏପରି ଯେ ବର୍ଷାହେଲେ ଚିକିତ୍ସାଳୟରେ ଜମିଯାଉଛି ଆଣ୍ଠିଏ ଆଣ୍ଠିଏ ପାଣି । ସେହି ଓଦା ପରିବେଶରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଘାଣ୍ଟି ହେବା ଛଡା ଅନ୍ୟ କିଛି ଉପାୟ ନାହିଁ । ଦେଖାଯାଉ କେବେ ସୁଧୁରିଛି ଏହି ଅବ୍ୟବସ୍ଥା ।

ବି.ଦ୍ର-(ଏହି ସବୁ ଅବ୍ୟବସ୍ଥା କଏଦ୍ ହୋଇଛି ଆମ ପ୍ରତିନିଧିଙ୍କ କ୍ୟାମେରାରେ । ଦେଖିବାପାଇଁ ମିଡିଆ ଗ୍ୟାଲେରୀ ପେଜକୁ ଯାଇ ଲଗଇନ୍ କରନ୍ତୁ ।)


Author: Prasanjit, Jagatsinghpur Bureau