Fashion

ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

 

ଯାଜପୁର: ଯାଜପୁର ଜିଲ୍ଲା ଏକ ବନ୍ୟା ପ୍ରବଣ ଅଂଚଳ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷମାନଙ୍କ ସହ ଗୋସମ୍ପଦ ପାଇଁ ଖାଦ୍ୟ ଓ ପାନୀୟର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ପରାମର୍ଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀ ଶତପଥୀ ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମପ୍ରବାହଜନିତ କାରଣରୁ ଜଳସ୍ତର ହ୍ରାସ ପାଇ ଅନେକ ନଳକୂପ ପାଣିବାହାରୁନଥିବା ଓ ଅନେକ ଅଂଚଳକୁ ପାନୀୟଜଳ ଟ୍ୟାଙ୍କରଗୁଡିକ ପହଂଚୁନଥିବାର ଅଭିଯୋଗ ହେଉଛି । ତେଣୁ ଏହାକୁ ସଂପୃକ୍ତ ବିଭାଗ ତୁରନ୍ତ ଅନୁଧ୍ୟାନ କରି ଜଳଯୋଗାଣ ବ୍ୟବସ୍ଥାକୁ ସଠିକ୍ କରିବାକୁ ସେ ପରାମର୍ଶ ଦେଇଥିଲେ । ସେହିଭଳି ଜିଲ୍ଲାର ଅନେକ ଛୋଟଛୋଟ ନଦୀ ସରକାରୀ ଖାତାରେ ନାମ ନଥିବାରୁ ତାହା ଦ୍ୱାରା ସଂଗଠିତ ବିପର୍ଯ୍ୟୟରୁ ଲୋକମାନଙ୍କୁ ସହାୟତା ମିଳିବାରେ ଅସୁବିଧା ସୃଷ୍ଟି ହେଉଛି । ତେଣୁ ଏହି ନଦୀଗୁଡିକୁ ସରକାରୀଭାବେ ନାମିତ କରି ତାହାର ସୁଫଳ ଲୋକଙ୍କୁ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । କୋରେଇ ବିଧାୟକ ଆକାଶ ଦାସନାୟକ ସମ୍ମିଳୀତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ସହ ସମସ୍ତ ସହାୟତା ଓ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ସୁଶାନ୍ତ କୁମାର ମିଶ୍ର ପୂର୍ବ ଅଭିଜ୍ଞତାକୁ ଆଧାର କରି ବିପର୍ଯ୍ୟୟର ମୁକାବିଲା ପାଇଁ ଉଦ୍ୟମ, ପୂର୍ବ ପ୍ରସ୍ତୁତି ଊପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ଆବଶ୍ୟକୀୟ ସାଜ ସରଂଜାମ ଯଥା- ବହ୍ଲା, ବାଉଁଶ, ବାଲି, ଚୂଡା, ଗୁଡ, ପଲିଥିନ, ମହମବତୀ, କିରୋସିନୀ ଇତ୍ୟାଦି ମହଜୁଦ ରଖିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ୍, ତହସିଲ, ଜିଲ୍ଲା କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ, ପଶୁ ସମ୍ପଦ ଓ କୃଷି ବିଭାଗ ଗୁଡିକ କଣ୍ଟ୍ରୋଲ ରୁମ୍ ଖୋଲିବା, ଦୁର୍ବଳ ନଦୀ ଓ କେନାଲ ବନ୍ଧ ଗୁଡିକୁ ଚିହ୍ନଟ କରିବା, ଜଳ ନିଷ୍କାସନ ଯେଭଳି ସୁଚାରୁ ରୂପେ ହୋଇପାରିବ ସେଥିପାଇଁ ବିଭିନ୍ନ ନାଳ ଓ ଡ୍ରେନ୍ ମରାମତି କରିବା, ବର୍ଷା ମାପକ ଯନ୍ତ୍ର ଓ ବର୍ଷା ମାପକ କେନ୍ଦ୍ର ଗୁଡିକୁ ଅନୁଧ୍ୟାନ କରି ତାହାର ଦୈନନ୍ଦିନ ରିପୋର୍ଟ ଜିଲ୍ଲା ଜରୁରୀ ବିଭାଗକୁ ପ୍ରେରଣ କରାଯିବାକୁ ନିଦେ୍ର୍ଦଶ ଦେଇଥିଲେ । ଦୈନିକ ବନ୍ୟା ପରିସ୍ଥିତି ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରଦାନ କରିବା, ପାଣିପାଗ ବିଭାଗ ପକ୍ଷରୁ ମିଳୁଥିବା ତଥ୍ୟକୁ ସମସ୍ତଙ୍କୁ ଅବଗତ କରିବା, ଅସ୍ଥାୟୀ ୱୟାରଲେସ୍ ଷ୍ଟେସନ, ଟେଲିଫୋନ ଇତ୍ୟାଦି ବନ୍ୟାଞ୍ଚଳ ମାନଙ୍କରେ ସ୍ଥାପନ କରିବା ଓ ଏହା ଯେଭଳି ସଠିକ ସେବା ଯୋଗାଇ ଦେଇ ପାରିବ ସେଥିପ୍ରତି ବି.ଏସ୍.ଏନ୍.ଏଲ୍. ଓ ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଗଲା । ବିଭିନ୍ନ ଅତ୍ୟାବଶ୍ୟକ ସ୍ଥାନରେ ଡଙ୍ଗା ବ୍ୟବସ୍ଥା କରାଯିବ ଓ ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ, ଗୋଖାଦ୍ୟ ଇତ୍ୟାଦି ମହଜୁଦ ରଖାଯିବ । ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଚିହ୍ନଟ କରି ତାହାର ଉପଯୁକ୍ତ ବ୍ୟବସ୍ଥା କରାଯିବ । ଓଡ୍ରାପଂ ଦଳ, ଏନଡିଆରଏପଂ, ଅଗ୍ନିଶମ ବିଭାଗ ମାନଂକୁ ବିଭିନ୍ନ ସ୍ଥାନରେ ମୁତୟନ ପାଇଁ ସ୍ଥାନର ଚିହ୍ନଟ କରାଯିବ । ଊଦ୍ଧାର ଓ ଥଇଥାନ କାର୍ଯ୍ୟରେ ସାଧାରଣ ନାଗରିକ ପରିଷଦ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଚ୍ଥାସେବୀ ସଂଗଠନ, ପଂଚାୟତ ପ୍ରତିନିଧି ପ୍ରମୁଖ ସହଯୋଗ କରିବାକୁ ଅନୁରୋଧ କରାଗଲା । ଯେଉଁ ବିଭାଗ କଂଟ୍ରୋଲ ରୁମ୍ ପରିଚାଳନାରେ ଅବହେଳା କରିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ତକ କରାଇ ଦିଆଯାଇଥିଲା । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ୍ ଅଲିମ୍ ଖାନ୍, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସରୋଜିନୀ ରାଜ, ଯାଜପୁର ପୈାରାଧ୍ୟକ୍ଷ ଭବପ୍ରସାଦ ଦାସ, ଉପଜିଲ୍ଲାପାଳ ମହେଶ୍ୱର ପାଣିଗ୍ରାହୀ, ଜିଲ୍ଲା ଅନୁଷ୍ଠିତ । ଜରୁରୀ ଅଧିକାରୀ ମଧୁସୁଦନ ନାୟକ, ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମିତି ଅଧ୍ୟକ୍ଷ , ଜିଲ୍ଲା ପରିଷଦର ସଦସ୍ୟ, ସମସ୍ତ ତହସିଲଦାର, ବି.ଡି.ଓ., ଗଣମାଧ୍ୟମର ପ୍ରତିନିଧି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜରୁରୀ ବିଭାଗର କର୍ମଚାରୀ ନକୁଳ ଚରଣ ମଲ୍ଲିକ, ଅରୁଣ କୁମାର ସାହୁ, ବ୍ରହ୍ମାନନ୍ଦ ଯେନା, ତରୁଣ କୁମାର ପଣ୍ଡା, ସୁପ୍ରିୟ କୁମାର ପଣ୍ଡା, ଲିଜାଲିନ୍ ସ୍ୱାଇଁ, ଦଶରଥ ଜେନା ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।


Author: Bijay, Jajpur Bureau