Fashion

ବିପଦରେ ଯାଜପୁର


ଯାଜପୁର,ୟୁ.ଏନ୍.ଓ- ଓଡ଼ିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଯାଜପୁର । ବୈତରଣୀ ନଦୀକୂଳରେ ଗଢ଼ି ଉଠିଥିବା ଯାଜପୁର ଉକ୍ରଳର ପ୍ରାଚୀନତମ ରାଜଧାନୀ । ସୌମ୍ୟ ବଂଶ ଓ ଭୌମକର ଏଠାରେ ରାଜୁତି କରିଥିଲେ । ସୌମ୍ୟ ବଂଶର ରାଜା ଯଯାତି କେଶରୀ ଯାଜପୁରକୁ ତାଙ୍କର ରାଜଧାନୀ କରିଥିଲେ । ରାଜୁତି ସମୟରେ ରାଜା ଯଯାତି କେଶରୀ ବୈତରଣୀ କୂଳରେ ଦଶାଶ୍ୱମେଧ ଯଜ୍ଞର ଆୟୋଜନ କରିଥିଲେ । ସେହି ଯଜ୍ଞ କୁଣ୍ଡରୁ ମାତା ପାର୍ବତୀ ଆବିର୍ଭୂତା ହୋଇ ବିରଜା ରୂପରେ ଏଠାରେ ବିରାଜମାନ କଲେ ବୋଲି କିମ୍ବଦନ୍ତୀ କହେ । ପୁରାଣ କହେ ଯେ, ମାତା ସତୀଙ୍କର ନାଭି ଏଠାରେ ପଡ଼ିଥିଲା । ଯେଉଁଥି ପାଇଁ ଏହାକୁ ନାଭିକ୍ଷେତ୍ର ମଧ୍ୟ କୁହାଯାଏ । ରାଜା ଯଯାତିଙ୍କ ନାମ ଅନୁସାରେ ଏହା ପ୍ରଥମେ ଯାଜ୍ରନଗରଭାବେ ପରିଚୟ ପାଇଥିଲା । କାଳକ୍ରମେ ଏହା ଯାଜପୁର ହେଲା । ଯାଜପୁରର ସ୍ୱର୍ଣ୍ଣୀମ ଇତିହାସ ବର୍ଣ୍ଣନା କରିବା ମଧ୍ୟ କଷ୍ଟସାଧ୍ୟ ।
ଅବିଭକ୍ତ କଟକ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିôବା ଯାଜପୁର ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ଇତିମଧ୍ୟରେ ଜିଲ୍ଲାକୁ ୨୫ ବର୍ଷ ପୂରିଛି । ଜିଲ୍ଲା ଏବେ ଯୁବାବସ୍ଥାରେ ଉପନୀତ । ଜିଲ୍ଲାରେ ରହିଛି ୧୦ଟି ତହସିଲ, ୧୦ଟି ବ୍ଲକ, ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଦୁଇଟି ପୌରାଂଚଳ । ରାଜ୍ୟର ପ୍ରଥମ ପୌରପାଳିକାଭାବେ ଯାଜପୁର ମାନ୍ୟତା ପାଇଥିଲା ୧୮୬୮ ମସିହା ଏପ୍ରିଲ ୧ ତାରିଖରେ । ଯାଜପୁର ପୌରପାଳିକା ବିତାଇ ସାରିଛି ତା’ର ସ୍ୱର୍ଣ୍ଣୀମ ୧୫୦ ବର୍ଷ । ବହୁ ଘାତପ୍ରତିଘାତ ମଧ୍ୟରେ ଗତି କରି ଯାଜପୁର ଜିଲ୍ଲା ଏବେ ବିଶ୍ୱ ଇତିହାସରେ ମଧ୍ୟ ନିଜର ନାମ ଯୋଡ଼ି ପାରିଛି । ଜିଲ୍ଲାରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢ଼ିବାର ସ୍ୱପ୍ନ ଦେଖିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ସତ ହୋଇଛି । ସୁକିନ୍ଦା ଓ ଦାନଗଦି ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏବେ ଛିଡ଼ା ହୋଇଛି ପାଖାପାଖି ୧୫ଟି କାରଖାନା । ରାଜ୍ୟ ତଥା ଦେଶର ଅର୍ଥନୈତିକ ମେରୁଦଣ୍ଡକୁ ସଳଖ କରିବା ପାଇଁ ଯାଜପୁରର ଭୂମିକା କିଛି କମ୍ ନୁହେଁ । ରତ୍ନଗର୍ଭା ଯାଜପୁରରେ ରହିଛି ଅନେକ ଖଣି । ଲୌହ, କ୍ରୋମାଇଟ୍ ଭଳି ଦୁର୍ମୂଲ୍ୟ ପଦାର୍ଥ ଭରି ରହିଛି ଏହାରି ମାଟିରେ ।
ଯାଜପୁରର ଇତିହାସକୁ ସର୍ବେକ୍ଷଣ କଲେ ବୌଦ୍ଧ କୀର୍ତ୍ତି ରାଜୀ କଥା ପ୍ରଥମେ ନଜରକୁ ଆସିବା । ରତ୍ନଗିରି, ଉଦୟଗିରି ଆଦି ବୌଦ୍ଧ କଳାକୃତି ତଥା ବୌଦ୍ଧ ଧର୍ମ ସମ୍ବନ୍ଧରେ ଅନେକ ସୂଚନା ପ୍ରଦାନ କରିବ । ବହୁ ଐତିହାସିକ ଏଠାକୁ ଆସି ନିଜର ଗବେଷଣା ଜାରି ରଖିଛନ୍ତି । ଜିଲ୍ଲାରେ ଅନେକ ପର୍ଯ୍ୟଟନ କ୍ଷେତ୍ର ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଶ୍ରୀକ୍ଷେତ୍ର ସଂସ୍କୃତି ସହ ଜଡ଼ିତ ଥିବା ଛତିଆ ବଟ ଜିଲ୍ଲା ପ୍ରାରମ୍ଭରୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରୁଛି । ମହାବିନାୟକ, ଚନ୍ଦନେଶ୍ୱର, ବରୁଣେଶ୍ୱର ଆଦି ଶୈବକ୍ଷେତ୍ର ପର୍ଯ୍ୟଟନର ମାନ୍ୟତା ଲାଭ କରିଛି । ବଣଭୋଜି ଋତୁ ଆସିଲେ ବଣଭୋଜି ପାଇଁ ପର୍ଯ୍ୟଟକ ଭିଡ଼ ସୁକିନ୍ଦାର ଅଶୋକଝର ଓ ବଡ଼ଚଣାର ଓଳାଶୁଣୀ ଗୁମ୍ଫାକୁ ଲାଗୁଥିବାର ଦେଖିବାକୁ ମିଳେ । ଏବେ ଯାଜପୁର ଇତିହାସରେ ଯୋଡ଼ି ହୋଇଯାଇଛି ଆଉ ଏକ ପର୍ଯ୍ୟଟନ ସ୍ଥଳୀ । ଯାଜପୁର ସହରରେ ଦିନେ ଅଳିଆ ଆବର୍ଜ୍ଜନା ଗଦା ପାଲଟିଥିବା କୁସୁମା ପୋଖରୀ ଏବେ କୁସୁମା ହ୍ରଦରେ ପରିଣତ ହୋଇଛି ।
ଯାଜପୁର ଜିଲ୍ଲା କିଛି ଦିନ ତଳେ ତା’ର ୨୫ତମ ଜନ୍ମ ଦିବସକୁ ଧୁମଧାମରେ ପାଳନ କରିଛି । ବଲିଉଡ୍ ଜଗତର ବହୁ ତାରକା କଣ୍ଠଶିଳ୍ପୀଙ୍କ ସମେତ ଓଲିଉଡ୍ର ସିନେ ତାରକା ଓ କଣ୍ଠଶିଳ୍ପୀ ତାକୁ ବଧେଇ ଜଣାଇ ଯାଇଛନ୍ତି । ୭ ଦିନ ଉତ୍ସବ ମନାଇଥିବା ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଂଚିଥିଲେ ଯାଜପୁରରେ । ଉପହାରସ୍ୱରୂପ ଭେଟି ଦେଇଥିଲେ ୧୫୦କୋଟି ଟଙ୍କାର ନୂଆ ନୂଆ ପ୍ରକଳ୍ପ । ଜିଲ୍ଲା ପ୍ରଗତି ପଥରେ ଦ୍ରୁତି ଗତିରେ ଆଗେଇ ଚାଲୁଛି ଏକଥା ଯିଏ କିଏ ବି କହିବ ।
ସଫଳତାର ପାହାଚ ପରେ ପାହାଚ ଚଢ଼ି ଚାଲିଥିବା ଯାଜପୁର କିନ୍ତୁ ଯୁବାବସ୍ଥାରେ ରୋଗାକ୍ରାନ୍ତ ହୋଇପଡ଼ୁଛି । କର୍କଟ, କିଡ୍ନୀ ଆକ୍ରାନ୍ତ ପରି ବହୁ ବଡ଼ ବଡ଼ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ବିଷ ବଳୟ ମଧ୍ୟରେ ଏବେ ଯାଜପୁର ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସାମାନ୍ୟ ଦୂରଦୃଷ୍ଟି ଅଭାବ ତଥା କିଛି କାରଖାନା ମାଲିକଙ୍କ ଖାମଖିଆଲି ନୀତି ଯୋଗୁ ବହୁ ଜନସାଧାରଣଙ୍କୁ ମୁଣ୍ଡ ଗଡ଼ୁଛି । ନିଜ ଭିଟା ମାଟିକୁ କମ୍ପାନି ହାତରେ ଟେକି ଦେଇଥିବା ନିରୀହ ଭୂମିପୁତ୍ରମାନେ ଆଜି ସେହି କମ୍ପାନିର ବିଶ୍ୱାସଘାତକତାର ଶିକାର ହେଉଛନ୍ତି । ଜମିଜମା ହରାଇ ଏବେ ଦୟନୀୟ ଅବସ୍ଥାରେ ସେମାନଙ୍କ ଦିନ କଟୁଛି । ଶିଳ୍ପାଂଚଳର ବିଷ ଧୁଆଁ ଯୋଗୁୁ ଅଂଚଳରେ ବସବାସ କରୁଥିବା ବହୁ ଜନସାଧାରଣ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ ଅନେକଙ୍କର ଜୀବନ ଯାଇସାରିଲାଣି । କାରଖାନାର ବିଷାକ୍ତ ଜଳ ବ୍ରାହ୍ମଣୀ ତଥା ଖରସ୍ରୋତା ଜଳକୁ ଜହର କରୁଛି । ଏହି ଜଳ ବ୍ୟବହାର କରି ଅଂଚଳବାସୀ ରୋଗାକ୍ରାନ୍ତ ହେବା ସହ ଫସଲହାନୀ ଘଟୁଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିଗିଡ଼ି ଯାଇଥିବା କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ରୁ ଅଧିକ ପଦବି ଖାଲି ପଡ଼ିଛି । ସାମାନ୍ୟ ରୋଗରେ ପଡ଼ି ଚିକିତ୍ସା ପାଇଁ ଯାଇଥିବା ରୋଗୀଙ୍କୁ ଡାକ୍ତର କଟକ ପଠାଇ ଦେଉଛନ୍ତି । ଜିଲ୍ଲାରେ ରୋଗୀ ସଂଖ୍ୟା ଯେତିକି ବଢ଼ି ବଢ଼ି ଯାଉଛି ଚିକିତ୍ସା ସେପରି ଦୁର୍ବଳ ହେବାରେ ଲାଗିଛି । ଯଦି କାରଖାନାଗୁଡ଼ିକ ପ୍ରଦୂଷଣ ରୋକିବା ପାଇଁ ସେପରି କିଛି ପଦକ୍ଷେପ ନନିଅନ୍ତି ତେବେ ଦିନ ଆସିବ ଜିଲ୍ଲା ଛାଡ଼ି ଯିବା ପାଇଁ ଲୋକେ ବାଧ୍ୟ ହେବେ ଏହା ନିଃସନ୍ଦେହ ।


Author: Manas kumar sahoo