Fashion

ଭାରତ ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ମଧ୍ୟରେ ହେବ ଏମଓୟୁ

    ନୂଆଦିଲ୍ଲୀ- ୧୦/୩ (ଅ.ନି.ଓ): ଭାରତରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ.ଏମ.ଏଫ) ପକ୍ଷରୁ ଦକ୍ଷିଣ ଏସୀୟ ଆଂଚଳିକ ପ୍ରଶିକ୍ଷଣ ଏବଂ ବୈଷୟିକ ସହାୟତା କେନ୍ଦ୍ର ସ୍ଥାପନ କରାଯିବ । ଏଥିପାଇଁ ଭାରତ ଏବଂ ଆଇ.ଏମ.ଏଫ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହେବ । ଏଭଳି ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ଦିଆଯାଇଛି । ଏହି ପ୍ରସ୍ତାବିତ ଦକ୍ଷିଣ ଏସୀୟ ଆଂଚଳିକ ପ୍ରଶିକ୍ଷଣ ଏବଂ ବୈଷୟିକ ସହାୟତା କେନ୍ଦ୍ର (ଏସ.ଏ.ଆର.ଟି.ଟି.ଏ.ସି) ସମ୍ପର୍କରେ କୁହାଯାଇଛି ଯେ, ଏହି କେନ୍ଦ୍ରଟି ଆଇ.ଏମ.ଏଫ ସଦସ୍ୟ ରାଷ୍ଟ୍ର ତଥା ବିକାଶ ଅଂଶିଦାର ଗୁଡିକ ମଧ୍ୟରେ ଏକ ମିଳିତ ସଂସ୍ଥା ହେବ । ସେହି ସଦସ୍ୟ ରାଷ୍ଟ୍ରମାନେ ହେଲେ ଭାରତ, ବଙ୍ଗଳାଦେଶ, ଭୁଟାନ, ମାଳଦୀପ, ନେପାଳ ଏବଂ ଶ୍ରୀଲଙ୍କା । ମୁଖ୍ୟତଃ ଏହାଦ୍ୱାରା ସଦସ୍ୟ ରାଷ୍ଟ୍ରମାନଙ୍କର ସାମର୍ଥ୍ୟ ବିକାଶ କରାଯିବ । ଅତିରିକ୍ତ ସଦସ୍ୟ ରାଷ୍ଟ୍ରମାନେ ଏହି ଏସ.ଏ.ଆର.ଟି.ଟି.ଏ.ସି ରେ ପରବର୍ତି ସମୟରେ ଯୋଗ ଦେଇପାରିବେ । ଭାରତରେ ଏହି ସଂସ୍ଥା ରାଜ୍ୟ ସ୍ତରୀୟ ସାମର୍ଥ୍ୟ ବୃଦ୍ଧି ସଂକ୍ରାନ୍ତରେ କାର୍ଯ୍ୟ କରିବ । ପ୍ରସ୍ତାବିତ ଏମଓୟୁ ଦ୍ୱାରା ଦେଶର ଅର୍ଥ ମନ୍ତ୍ରୀଙ୍କୁ ଉକ୍ତ ସଂସ୍ଥା / କେନ୍ଦ୍ର ପ୍ରତି ଭାରତର ଆର୍ଥିକ ଅନୁଦାନ କେତେ ହେବ ତାହା କ୍ଷମତା ପ୍ରଦାନ କରିବ । ଏହାଛଡା ଭାରତର ଆର୍ଥିକ ଅନୁଦାନ ସଂକ୍ରାନ୍ତ ବୁଝାମଣା ପତ୍ର, ସଂସ୍ଥା ପାଇଁ ସ୍ଥାନ ନିରୂପଣ, ଷ୍ଟିଅରିଂ କମିଟିରେ ଭାରତର ସଦସ୍ୟତା ଆଦି ପ୍ରସଙ୍ଗରେ ନିଷ୍ପତି ନେବାକୁ ଅର୍ଥ ମନ୍ତ୍ରୀ ଭାରପ୍ରାପ୍ତ ହେବେ ବୋଲି କୁହାଯାଇଛି ।


Author: UpdateNewsOdisha