Fashion

ଗେଟ୍ ଖାଉଛି ଟଙ୍କା, ଏପଟେ ଘାଇମୁଁହ ମେଲା

 

୨୦୦୨ରେ ନାଉଗାଁ ବ୍ଲକ ଅନ୍ତର୍ଗତ ବାଂଶ ପଂଚାୟତର ଗୋବରି ନଦୀରେ  ୧ କୋଟି ୪ ଲକ୍ଷ ବ୍ୟୟରେ ନିର୍ମିତ ହେଲା  ଏକ ସୁଇସ୍ ଗେଟ। ଗମନାଗମନ ଓ ୨୦ ହଜାରରୁ ଉର୍ଦ୍ଦ୍ବ ଚାଷୀ ପରିବାରଙ୍କ ୧୨୦୦୦ ହେକ୍ଟର ଚାଷଜମିରେ ଜଳଯୋଗାଣ ପାଇଁ ଡ୍ରେନେଜ ବିଭାଗ ତରଫରୁ ନିର୍ମାଣ କରାଯାଇଥିଲା ଏହି ସୁଇସ୍ ଗେଟ୍। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ଲୋକଙ୍କ ସ୍ୱାର୍ଥ ପାଇଁ ନିର୍ମାଣ ହୋଇଥିବା ଏହି ସୁଇସ୍ ଗେଟଟି ପାଲଟିଛି କିଛି କଂଟ୍ରାକ୍ଟର ଓ ବିଭାଗୀୟ ଅଧିକାରୀଙ୍କ ପାଇଁ ଏକ ରୋଜଗାର ପନ୍ଥା । ୨୦୦୨ ରେ ନିର୍ମାଣ ହୋଇଥିବା ଏହି ସୁଇସ୍ ଗେଟ୍ ଦ୍ୱାରା ନାଉଗାଁ, ବୋଦଳ, ବଚ୍ଛାଳୋ, ତିହୁଡା, ଗୋଠଦା, ଗୋବରିକୂଳ, ଚାନ୍ଦପୁରା, ଶିଖର, ବାଲିସାହି, ସାରେଇକୁଳ, କୋକିଡିହ ପ୍ରଭୃତି ଗ୍ରାମର ଲୋକେ ଚାଷକାର୍ଯ୍ୟପାଇଁ ଜଳ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏହି ସୁଇସ୍ ଗେଟ୍ ହେବା ଦିନଠୁ ଜନସାଧାରଣଙ୍କ ସେବା ପରିବର୍ତ୍ତେ ଏହି ପୋଲ ଉଦ୍ଦେଶ୍ୟରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି କିନ୍ତୁ ଠିକ୍ ଚାଷ ସମୟରେ ଚାଷଜମି ପାଇଁ ଜଳର ଆବଶ୍ୟକତା ହେଉଥିବା ବେଳେ ଏହି ସୁଇସ୍ ଗେଟରେ ଫାଟ ସୃଷ୍ଟି ହେଉଛି । ତେଣୁ ବର୍ଷବର୍ଷ ଧରି ଚାଷ ପାଇଁ ଆବଶ୍ୟକୀୟ ଜଳ ସୁବିଧାରୁ ବଂଚିତ ହେଉଛି ଚାଷୀ। ପ୍ରତି ବର୍ଷ ଏହି ପୋଲ ଉଦ୍ଦେଶ୍ୟରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସୁଇସ ଗେଟରେ ଫାଟ ସୃଷ୍ଟି ହୋଇ ବାଂଶ ଗ୍ରାମ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହେଉଛି । ୨୦୦୯ ଠାରୁ ଆଜି ପର୍ଯ୍ୟନ୍ତ ଏହି ପୋଲ ଉଦ୍ଦେଶ୍ୟରେ ଅନେକ ଟଙ୍କା ଖର୍ଚ୍ଚ ହେଇଚାଲିଛି । ଗେଟଟି ୨୦୦୫ ଓ ୨୦୦୭ ମସିହାରେ ମାଟିଖସି ମରାମତି ହୋଇଥିଲା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ୨୦୦୮-୨୦୦୯ ମସିହାରେ ପଥର ପ୍ୟାକିଂ ଓ ୨୦୧୩-୨୦୧୪ ରେ ମଧ୍ୟ ପଥର ପ୍ୟାକିଂ କରାଯାଇଥିଲା । ୨୦୦୫ ମସିହାରେ ୫ ଲକ୍ଷ ଟଙ୍କା, ୨୦୧୫ ମସିହାରେ ୮ ଲକ୍ଷ ଟଙ୍କା ଏହି ପୋଲ ମରାମତିରେ ଖର୍ଚ୍ଚ କରାଯାଇଥିଲା । ଏତେ ଖର୍ଚ୍ଚ ସତ୍ତ୍ବେ ନା ଚାଷିମାନେ ଏଠୁ ଉପକାର ପାଉଛନ୍ତି ନା ଲୋକଙ୍କ ଯାତାୟତରେ ସୁବିଧା ହେଉଛି ।

 

ତେଣୁ ଗ୍ରାମଟି ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଛି । ପ୍ରତିବର୍ଷ ବର୍ଷାଦିନେ ପୋଲର ଉଭୟ ପାର୍ଶ୍ବରେ ଘାଇ ସୃଷ୍ଟି ହେଉଛି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଏହି ସୁଇସଗେଟରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏଥିରେ ସୁଫଳ ମିଳିବା ପରିବର୍ତ୍ତେ ଜନସାଧାରଣଙ୍କ ଗମନାଗମନ, ଶିକ୍ଷା ପାଇଁ ଛାତ୍ର ଛାତ୍ରୀଙ୍କ ଯାତାୟତ, ଜରୁରି କାଳିନ ପରିସ୍ଥିତିରେ ରୋଗୀ ଓ ଚାଷକାର୍ଯ୍ୟ ପାଇଁ ସମସ୍ୟା ଆଣୁଛି । ଏପରିକି ଗ୍ରାମବାସୀ ଏକପ୍ରକାର ବନ୍ଦିଘେରରେ ରହି ଅସୁବିଧାର ସମ୍ମୁଖିନ ହେଉଥିବା ଯୁବନେତା ଉମେଶ ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି ପୋଲ ନିମନ୍ତେ ସଠିକ୍ ଯୋଜନା ହୋଇପାରୁନାହିଁ ଏବଂ ପୂର୍ବନିର୍ମିତ ପୋଲର ଯୋଜନା ମଧ୍ୟ ଠିକ ନଥିଲା । ଏହି କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ସଠିକ୍ ତଥ୍ୟ ଜଣା ପଡନ୍ତା ବୋଲି ଗ୍ରାମର ସ୍ୱେଚ୍ଛାସେବି ସୁବାସ ସ୍ୱାଇଁ, ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ସ୍ୱାଇଁ , ପ୍ରମୋଦ ସ୍ୱାଇଁ , ଅମିର ସ୍ୱାଇଁ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଡ୍ରେନେଜ୍ ବିଭାଗର ଯନ୍ତ୍ରୀ ବାବାଜୀ ଚରଣ ବେହୁରା କୁହନ୍ତି ବାଂଶରେ ଥିବା ସୁଇସ ଗେଟଟିର ନିର୍ମାଣ ଯୋଜନାରେ ତ୍ରୁଟି ଥିବା ଯୋଗୁଁ ପ୍ରତିବର୍ଷ ଏଭଳି ଅଘଟଣ ଘଟୁଛି ଏବଂ ନୂତନ ସୁଇସ ଗେଟ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ କାହା ସ୍ବାର୍ଥରେ ଏହି ଗେଟଟି ନିର୍ମାଣ ହୋଇଛି ତାହା ସରକାରୀ ଅବହେଳାରୁ ସ୍ପଷ୍ଟ ଅନୁମେୟ।


Author: Prasanjit, Jagatsinghpur Bureau