Fashion

ଇଥାନଲ ଉପରୁ ଉତ୍ପାଦ ଶୁଳ୍କ ଛାଡ – ପେଟ୍ରୋଲିୟମ ମନ୍ତ୍ରୀ

  ରାଷ୍ଟ୍ରାୟତ ତୈଳ କମ୍ପାନୀମାନଙ୍କୁ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରୀ ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରାୟତ ତୈଳ ବିତରକ କମ୍ପାନୀମାନେ ସର୍ବାଧିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ପେଟ୍ରୋଲରେ ମିଶାଇ ବିକ୍ରୀ କରିପାରିବେ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨୦୧୪-୧୫ ଚିନି ଉତ୍ପାଦନ ଋତୁରେ ତୈଳ ବିତରକ କମ୍ପାନୀମାନେ ସର୍ବାଧିକ ୨.୩ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ କରିଥିଲେ । ଏବେ କେନ୍ଦ୍ର ସରକାର ଏହି ପରିମାଣ ୧୦ ପ୍ରତିଶତକୁ ବୃଦ୍ଧି କରିବା ନିମନ୍ତେ ସ୍ଥିର କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପେଟ୍ରୋଲରେ ଇଥାନଲ ମିଶ୍ରଣ ଦ୍ୱାରା କେନ୍ଦ୍ର ସରକାର ଅନେକ ପରିମାଣରେ ଆମଦାନୀ ହ୍ରାସ ଜନିତ ବୈଦେଶିକ ମୁଦ୍ରା ସଂଚୟ କରୁଛନ୍ତି । କେବଳ ୨୦୧୪-୧୫ ଚିନି ଉତ୍ପାଦନ ଋତୁରେ ଇଥାନଲ ମିଶ୍ରଣ ଯୋଗୁଁ ସମ ପରିମାଣର ତୈଳ ଆମଦାନୀ କମିଛି ଏବଂ ୨୮୫ ନିୟୁତ ଡଲାର ବୈଦେଶିକ ମୁଦ୍ରା ସଂଚୟ ହୋଇପାରିଛି । ପେଟ୍ରୋଲରେ ମିଶ୍ରଣ ପାଇଁ ତୈଳ ବିତରକ କମ୍ପାନୀମାନଙ୍କୁ ଆବଶ୍ୟକ ପରିମାଣର ଇଥାନଲ ଯୋଗଣ ନିମନ୍ତେ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରାଯାଇଛି । ଆଖୁ ଓ ଚିନି ଉଦ୍ୟୋଗ ବ୍ୟତିତ ଅନ୍ୟ ସବୁ ଉଦ୍ୟୋଗରୁ ଇଥାନଲ ସଂଗ୍ରହ ପାଇଁ ତୈଳ କମ୍ପାନୀମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି । ସ୍ଥାନୀୟ ଉପଲବ୍ଧିକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀମାନେ ବିଭିନ୍ନ ରାଜ୍ୟରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ପେଟ୍ରୋଲରେ ମିଶାଇ ବିକ୍ରୀ କରିବାକୁ କୁହାଯାଇଛି । ଇଥାନଲ ଯୁକ୍ତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧିନରେ ଏହି କଂଚାମାଲର ଆହରଣ/ସଂଗ୍ରହ ପ୍ରକ୍ରିୟାକୁ ସରଳ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧିନରେ ରାଷ୍ଟ୍ରାୟତ ତୈଳ କମ୍ପାନୀମାନଙ୍କୁ ଇଥାନଲ ଯୋଗାଣ ଉପରେ ଉତ୍ପାଦ ଶୁଳ୍କ ସମ୍ପୂର୍ଣ୍ଣ ରୂପେ ଛାଡ କରାଯାଇଛି । ଏହା ୨୦୧୫-୧୬ ବର୍ଷରୁ ଲାଗୁ ହୋଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

 

 


Author: UpdateNewsOdisha