Fashion

ଗଣମାଧ୍ୟମର ଭାଷା

 

        ଭାଷା କେବଳ ଯୋଗାଯୋଗର ସର୍ବଶ୍ରେଷ୍ଠ ମାଧ୍ୟମ ନୁହେଁ ବରଂ ଗୋଟିଏ ଜାତିର ଜୟଗାଥା ।  ଯାହାର ଭାଷା ଯେତେ  ବଳିଷ୍ଠ ସେ ଜାତି ସେତେ ସମୃଦ୍ଧ। ଗଣମାଧ୍ୟମ ଗଣଙ୍କ ପାଇଁ ଉଦ୍ଦିଷ୍ଟ । ଏହାର ମୂଳ ଉପଭୋକ୍ତା ହେଉଛନ୍ତି ଗଣ ବା ଜନସାଧାରଣ । ଜନସାଧାରଣଙ୍କ ମଧ୍ୟରେ ଉଚ୍ଚଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ସ୍ୱଳ୍ପଶିକ୍ଷିତ ଓ କେବଳ ସାଧାରଣ ଲେଖାପଢ଼ା ଜାଣିଥିବା ଓ ଆଦୈା ପଢିବା ଜଣା ନଥିବା ସାଧାରଣ ଲୋକେ ବି ଗଣମାଧ୍ୟମର ଉପଭୋକ୍ତା ହୋଇପାରନ୍ତି । ତେଣୁ ଗଣମାଧ୍ୟମର ଭାଷା କ’ଣ ହେଲେ ଉଚ୍ଚଶିକ୍ଷିତଙ୍କଠାରୁ ନିରକ୍ଷରଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ମଣିଷ ଏହାକୁ ଗ୍ରହଣ କରିପାରିବେ, ପ୍ରଥମେ ତାହା ବିଚାର କରିବା ଆବଶ୍ୟକ । ଏଥିପାଇଁ ଭାଷା ବ୍ୟବହାରରେ ସରଳତା ଯେ ନିହାତି ଅପରିହାର୍ଯ୍ୟ ତାହା ସମସ୍ତେ ନିଶ୍ଚୟ ଉପଲବ୍ଧି କରିବେ । ମାତ୍ର ଏଠାରେ କେଉଁ ଆଧାରରେ ଭାଷାର ସରଳତା ମପା ଯାଇ ପାରିବ  ସେ ସମ୍ପର୍କରେ ସେପରି କୈାଣସି ମାନକ ବା ମାପଦଣ୍ଡ ନାହିଁ । ତଥାପି ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ପୁସ୍ତକ ତଥା ପତ୍ରପତ୍ରିକାର ଭାଷାଠାରୁ ଗଣମାଧ୍ୟମର ଭାଷା ଯେ ନିଜର ସ୍ୱାତନ୍ତ୍ର୍ୟ ରକ୍ଷା କରିବ ବୋଲି ଆଶା କରାଯାଇପାରେ ।

        ପାଠ୍ୟ ଓ ଦୃଶ୍ୟ ଉଭୟ ଗଣମାଧ୍ୟମ ପ୍ରସଙ୍ଗ ଏ କ୍ଷେତ୍ରରେ ବିଚାରଣୀୟ । ଦୃଶ୍ୟ ମାଧ୍ୟମର ଅନେକ ପୂର୍ବରୁ ପାଠ୍ୟ ବା ଛାପା ଗଣମାଧ୍ୟମ ଯଥେଷ୍ଟ ଭାବରେ ପାଠକୀୟତା ହାସଲ କରିପାରିଥିଲା ।  ତେଣୁ ଏଠାରେ ପ୍ରଥମେ ଛାପା ମାଧ୍ୟମ କଥା ବିଚାର କଲେ ଦେଖାଯାଏ କ୍ରମଶଃ ଭାଷାର ଚଳପ୍ରଚଳ ଛାପା ମାଧ୍ୟମ ଦ୍ୱାରା ଅଧିକତର ଭାବରେ ସଂପ୍ରସାରିତ ହୋଇଛି । ଯଦିଓ ଓଡ଼ିଶାରେ ପ୍ରଥମେ ହାତଲେଖା ପତ୍ରିକା ପ୍ରଥମେ ବାହାରୁଥିଲା, ତଥାପି ଛାପାକଳ ବାହାରିବା ପରେ ପରେ, ଖବର କାଗଜର ମୁଦ୍ରଣ ଓ ପ୍ରସାରଣ ବ୍ୟାପ୍ତ ହୋଇଛି । ଖବରକାଗଜର ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ପ୍ରକାଶିତ ଭାଷା ସାଧାରଣ ପାଠକଙ୍କ ପାଇଁ ବେଳେ ବେଳେ ଦୁର୍ବୋଧ୍ୟ ହୋଇଯାଉଥିଲା । ତେଣୁ ପରବର୍ତୀ କାଳରେ ଭାଷାର ସରଳତା ପ୍ରତି ଦୃଷ୍ଟି ଦିଆଗଲା ।

        ଖବରକାଗଜରେ ବିଭିନ୍ନ ପ୍ରକାରର ଖବର ପ୍ରକାଶ କରାଯାଉଥିବାରୁ  ଖବରର ଗୁରୁତ୍ୱ ଅନୁଯାୟୀ ଭାଷା ବ୍ୟବହାର କରିବାକୁ ହୋଇଥାଏ । ଅନେକ ସମୟରେ କେତେକ ବିଶେଷ ଖବର ପାଇଁ ବିଷୟଗତ ପରିଭାଷା ମଧ୍ୟ ବ୍ୟବହାର କରିବାକୁ ପଡ଼ିଥାଏ । ରାଜନୀତି, ଅର୍ଥନୀତି, ବିଧାନସଭା, ବଜେଟ‌୍‍, ନୂତନ ଧରଣର ବିବିଧ ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର ପ୍ରଭୃତି ସମ୍ୱନ୍ଧୀୟ ଖବରମାନ ପ୍ରକାଶ କରାଯିବା ସମୟରେ ଏଇ ଧରଣର ପାରିଭାଷିକ ଶବ୍ଦଗୁଡ଼ିକୁ ବ୍ୟବହାର କରିବାକୁ ପଡ଼ିଥାଏ । ଏପରି କ୍ଷେତ୍ରରେ କେତେକ ପରିଭାଷା ସର୍ବସାଧାରଣଙ୍କ ପକ୍ଷରେ ଅବୋଧ୍ୟ ହେଲେ ମଧ୍ୟ, ଏଇ ଧରଣର ଶବ୍ଦ ବାଧ୍ୟ ହୋଇ  ବ୍ୟବହାର କରିବାକୁ ପଡ଼ିଥାଏ ।  କାରଣ ଏ ପ୍ରକାରର ଶବ୍ଦାବଳି ବ୍ୟବହୃତ ନ ହେଲେ ବୈଷୟିକ ଦିଗକୁ ବୁଝିବା ସମ୍ଭବ ହୋଇ ନଥାଏ । ଏଣୁ ଅପେକ୍ଷାକୃତ ସହଜବୋଧ୍ୟ ନହେଲେ ମଧ୍ୟ ଯେ କୈାଣସି ବିଷୟର ପାରିଭାଷିକ ଶବ୍ଦାବଳି ଖବରକାଗଜରେ ଛାପା ହେବା ଅନିର୍ବାର୍ଯ୍ୟ ।

         ଜ୍ଞାନ ବିଜ୍ଞାନର ପ୍ରଭାବ ଓ ପ୍ରସାର ଆମର ଦୈନଦିନ ଜୀବନକୁ ବିଭିନ୍ନ ଭାବରେ ପ୍ରଭାବିତ କରି ଆସିଛି । ଅତୀତର କେତେକ ଚଳଣି ଓ ବିଶ୍ୱାସ କ୍ଷେତ୍ରରେ ମଧ୍ୟ ଅନେକ ପ୍ରକାରର ପରିବର୍ତନ ଲକ୍ଷ୍ୟ କରାଗଲାଣି । ଏହା ଫଳରେ ଆମର ଦୈନଦିନ ଜୀବନ ଚଳଣିକୁ ପ୍ରଭାବିତ କରୁଥିବା କେତେ ପ୍ରକାରର ଶବ୍ଦ ମଧ୍ୟ ଆମ ଭାଷାରେ ଆପଣାଛାଏଁ ପ୍ରଭାବ ବିସ୍ତାର କଲାଣି । ଏଣୁ ଏଇ ପ୍ରକାରର ଶବ୍ଦରୁ ଗଠିତ ଭାଷା ମଧ୍ୟ ଖବରକାଗଜରେ ସ୍ଥାନ ପାଇବା ଆଦୈା ଅସମ୍ଭବ ଓ ଅସମୀଚୀନ ନୁହେଁ । ଆଧୁନିକ କୃଷି, ଶିଳ୍ପ, କଳକାରଖାନା, ବିଭିନ୍ନ ଧରଣର ନୂତନ ଯନ୍ତ୍ରପାତି ଓ ଜନଜୀବନକୁ ବିଶେଷ ଭାବରେ ପ୍ରଭାବିତ କରୁଥିବା ନୂତନ ଦ୍ରବ୍ୟମାନ ମଧ୍ୟ ଖବରକାଗଜର ଭାଷା ରୂପେ ବ୍ୟବହୃତ ହେବା ଅବଶ୍ୟମ୍ଭାବୀ ହୋଇ ପଡ଼ିଛି । ପୁଣି କେତେକ ବହୁରାଷ୍ଟ୍ରୀୟ କମ୍ପାନୀର ବ୍ୟପକ ବିତ ବିପଣନ ବ୍ୟବସ୍ଥା ହେତୁ କେତେକ ବୈଦେଶିକ ଶବ୍ଦ ମଧ୍ୟ ଖବରକାଗଜର ଭାଷାକୁ ପ୍ରଭାବିତ କରିବା ଆଦୈା ଆଶ୍ଚର୍ଯ୍ୟକର ନୁହେଁ । ଏ କ୍ଷେତ୍ରରେ ଯେତେ ଯାହା ସରଳ ଭାଷା ବ୍ୟବହାର କଲେ ମଧ୍ୟ କମ୍ପାନୀ ପ୍ରସ୍ତୁତ ଦ୍ରବ୍ୟଗୁଡ଼ିକର ନାମ ଇତ୍ୟାଦିକୁ କୈାଣସି ପ୍ରକାରେ ପରିବର୍ତନ କରାଯାଇ ନପାରେ ।

        କ’ଣ, କାହିଁକି, କେମିତି, କେଉଁଠି, କେବେ ଓ  କିପରି ପ୍ରଭୃତିର ଯଥାର୍ଥ ଉତର ପ୍ରଦାନ କରିବା ହେଉଛି ସମ୍ୱାଦ ଲିଖନଶୈଳୀର ମ୍ଭୋଳିକ ଆଦର୍ଶ । ତେଣୁ ସମ୍ୱାଦ ଲିଖନ କାଳରେ ଏ ସବୁ ପ୍ରତି ଉପଯୁକ୍ତ ଭାବରେ ଗୁରୁତ୍ୱ ଓ ଧ୍ୟାନ ଦିଆଯିବା ନିହାତି ଯଥାର୍ଥ । ତେବେ ଉତରଦାୟୀତ୍ୱ ଥାଇ ଖବର ଲେଖିବା ସମୟରେ ସବୁଠାରୁ ଅଧିକ ସଂଖ୍ୟକ ପାଠକଙ୍କ ପଠନପିପାସାକୁ ଚରିତାର୍ଥ କରିବା ଭଳି ଶୈଳୀରେ ସମ୍ୱାଦ ଲେଖାଯିବା ସର୍ବାଦୈା ଯୁକ୍ତିଯୁକ୍ତ ପ୍ରସଙ୍ଗ ।

        ଖବରକାଗଜ ପାଇଁ ଖବର ପରିବେଷଣ କରିବା ସମୟରେ ଅନ୍ତତଃ ପକ୍ଷେ ଲିଖନଗତ ସାବଧାନତା ପାଇଁ କେତୋଟି ଦିଗ ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବା ବିଧେୟ । ଯଥା:

୧. ବାକ୍ୟ ସରଳ ହେବା ସହିତ ବୋଧଗମ୍ୟ ହେଉଥିବା ଆବଶ୍ୟକ ।

୨. ଚଳନ୍ତି ସମୟର କଥିତ ଭାଷା ବ୍ୟବହୃତ ହେବା ଆବଶ୍ୟକ ।

୩. ପ୍ରତ୍ୟେକ ବାକ୍ୟ ଶୁଦ୍ଧ ହେବା ଦରକାର ।

୪. ସର୍ବଦା ପ୍ରତ୍ୟକ୍ଷ ବାକ୍ୟ ଲେଖାଯିବା ଜରୁରୀ ।

୫. ଦୀର୍ଘ ଓ ସମାସ ବହୁଳ ବାକ୍ୟ ଠାରୁ ସରଳ ବାକ୍ୟ ଲେଖାଯିବା ଆବଶ୍ୟକ ।

୬.ପ୍ରତ୍ୟେକ ବାକ୍ୟ ପାରସ୍ପରିକ ସହଯୋଗ ରକ୍ଷାକରୁଥିବା ଦରକାର ।

୭. ପ୍ରତି ବାକ୍ୟର ବ୍ୟାକରଣଗତ ଶୁଦ୍ଧତା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ।

୮. ବାକ୍ୟଗୁଡ଼ିକରୁ ଖବରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ପ୍ରକାଶ ପାଉଥିବା ଜରୁରୀ ।

୯. କୈାଣସି କ୍ଷେତ୍ରରେ ଶ୍ଳେଷାତ୍ମକ ବାକ୍ୟ ନରହିବା ଦରକାର ।

୧୦.ଜନଜୀବନରେ କୈାଣସି ପ୍ରକାରର ନକାରାତ୍ମକ ପ୍ରଭାବ ଓ ପ୍ରତିକ୍ରିୟା ସୃଷ୍ଟି କରିବା ଭଳି ଆଲେଖ୍ୟ ପ୍ରସ୍ତୁତ ନହେବା ଉଚିତ ।

୧୧. ପ୍ରତ୍ୟେକ ବାକ୍ୟ ଓ ପଦର ବନାନଗତ ଶୁଦ୍ଧତା ପ୍ରତି ସତର୍କତା ଅବଲମ୍ୱନୀୟ ।

୧୨.ବେତାର ମାଧ୍ୟମରେ ଗଣବାର୍ତା ପ୍ରସାରଣ କରିବା ବେଳେ ପ୍ରତିଟି ଶବ୍ଦର ଉପଯୁକ୍ତ ଉଚ୍ଚାରଣ ପ୍ରତି ସଚେତନ ହେବା ଅବଶ୍ୟମ୍ଭାବୀ ।

        ଏଇପରି ଭାବରେ ବିଚାର କଲେ ଜଣାଯାଏ ଯେ ଖବରକାଗଜ ପଢ଼ିବାକୁ ଖୁବ‌୍‍ ସହଜ ମନେ ହେଲେ ବି ଏହାର ଆଲେଖ୍ୟ ପ୍ରସ୍ତୁତି ଆଦୈା ସହଜ ନୁହେଁ । କାରଣ ସର୍ବସାଧାରଣ ଏହାର ଉପଭୋକ୍ତା ଓ ସେମାନଙ୍କ ମନକୁ ଛୁଇଁବା ଭଳି ଆଲେଖ୍ୟ ପ୍ରସ୍ତୁତ ହେବା ଦରକାର । ମାତ୍ର ମନକୁ ଛୁଇଁବା ଭଳି ଆଲେଖ୍ୟ ପ୍ରସ୍ତୁତ କଲେ ବି ସର୍ବଦା ଏହାର ସତ୍ୟାସତ୍ୟ ଦିଗ ପ୍ରତି ସତର୍କ ଦୃଷ୍ଟି ଦିଆଯିବା ନିହାତି ଜରୁରୀ ।

        ଦ୍ୱିତୀୟରେ ଆସେ ଦୃଶ୍ୟ-ଗଣମାଧ୍ୟମ ପ୍ରସଙ୍ଗ । ଏଇ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବିଭିନ୍ନ ଖବର ସହିତ ପ୍ରାୟ କେତେକ ଦୃଶ୍ୟରୂପ ସଂଶ୍ଳିଷ୍ଟ କରାଯାଉଥିବାରୁ ଏହାର ଭାଷା ପ୍ରୟୋଗ କ୍ଷେତ୍ରରେ ଉପଯୁକ୍ତ ସାବଧାନତା ଅବଶ୍ୟ ଅବଲମ୍ୱନୀୟ । ବେଳେ ବେଳେ ଦୃଶ୍ୟରୂପ ସହିତ ସମ୍ୱାଦର ଭାଷା ଖାପ ନଖାଇଲେ ସମ୍ୱାଦ ବିଷୟ ବେଖାପ ଲାଗେ । ଏଭଳି ଅଘଟଣକୁ ଅତି ସଚେତନ ଭାବରେ ରୋକାଯିବା ଦରକାର । ପୁନଶ୍ଚ ସମ୍ୱାଦ ପାଠ ଚାଲିଥବା ସମୟରେ ପର୍ଦ୍ଦାର ଠିକ‌୍‍ ତଳକୁ କେତେକ ଉପାଦେୟ ଖବରକୁ ଅକ୍ଷରରେ ଲେଖାଯାଇ ପ୍ରସାରଣ କରାଯାଏ । ଏତେବେଳେ କେତେକ ଅସାବଧାନତା ହେତୁ ବନାନଗତ ତ୍ରୁଟି ଆଖିରେ ପଡିଥାଏ । ତଥ୍ୟଗତ ଓ ବନାନଗତ ଯାବତୀୟ ତ୍ରୁଟିକୁ ସୁଧାରିବା ସହିତ ଦୃଶ୍ୟରୂପକୁ ଅନୁସରଣ କରିବା ଭଳି ଉପଯୁକ୍ତ ଭାଷା ବ୍ୟବହାର କଲେ, ଦର୍ଶକ ଓ ଶ୍ରୋତା ଉପକୃତ ହୋଇପାରନ୍ତି ।

        ଗଣମାଧ୍ୟମର ଭାଷା ସର୍ବଦା ଭାବାନୁସାରୀ ଓ ପ୍ରଭାବଶାଳୀ ହେବା ନିହାତି ଜରୁରୀ । ସ୍ମରଣ ରଖିବାକୁ ହେବ ଯେ ଗଣମାଧ୍ୟମର ଭାଷା କାରବାର କରିବା ସମୟରେ ଭାବପ୍ରବଣ ନହୋଇ ଅତି କଷ୍ଟକର ଅର୍ଥପ୍ରତିପାଦକ ଭାଷା ପରିବର୍ତେ ଜନତୁଣ୍ଡର ନିତ୍ୟ ବ୍ୟବହୃତ ଭାଷା ବ୍ୟବହାର କରାଗଲେ ଏହା ପାଠକ, ଶ୍ରୋତା ଓ ଦର୍ଶକ ସମସ୍ତଙ୍କ ମନକୁ ଛୁଇଁପାରିବାରେ କ୍ଷମ ହୋଇପାରିବ ।  ଅତଏବ ଗଣମାଧ୍ୟମ ପାଇଁ ଆଲେଖ୍ୟ ପ୍ରସ୍ତୁତି କାଳରେ ପ୍ରତି ପଦେ ପଦେ ସତର୍କତା ଓ ସାବଧାନତା ଅବଲମ୍ୱନୀୟ ।


Author: ସଂବିତ ମିଶ୍ର