Fashion

ଜଳ ସଂରକ୍ଷଣ ପାଇଁ ସରକାରୀ ଯୁବସଂଗଠନମାନେ ସମ୍ମିଳିତ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

    ନୂଆଦିଲ୍ଲୀ, ଦେଶରେ ସରକାରୀ ଯୁବ ସଂଗଠନଗୁଡ଼ିକର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି), ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍), ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ, ଭାରତୀୟ ରେଡକ୍ରସ ସଂସ୍ଥା ଏବଂ ନେହେରୁ ଯୁବକେନ୍ଦ୍ର ସଂଗଠନର କାର୍ଯ୍ୟକଳାପ ସଂପର୍କରେ ବିସ୍ତୃତଭାବେ ସମୀକ୍ଷା କରାଯାଇଛି । ସମୀକ୍ଷା ବୈଠକ ପ୍ରାୟ ଦୁଇଘଂଟା ଧରି ଚାଲିଥିଲା । ଏହିସବୁ ସରକାରୀ ଯୁବ ସଂଗଠନଗୁଡ଼ିକ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ରୂପାୟନ ବେଳେ ଉତମ ସମନ୍ୱୟ ଓ ସଂଯୋଗ ରକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଯୁବ ସଂଗଠନଗୁଡ଼ିକର କେତେକ ପ୍ରାଥମିକ କାର୍ଯ୍ୟ ସଂପର୍କରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ କିଛିମାସ ମଧ୍ୟରେ ମନରେଗା ଅଧୀନରେ ଜଳ ସଂରକ୍ଷଣ ଏବଂ ଜଳ ଅମଳ ଢାଂଚା ନିର୍ମାଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଏହି ଜାତୀୟ କାର୍ଯ୍ୟକ୍ରମରେ ସରକାରୀ ଯୁବ ସଂଗଠନମାନେ ବହୁଳ ସଂଖ୍ୟାରେ ଭାଗ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଯୁବ ସଂଗଠନମାନଙ୍କୁ ସକ୍ରିୟ କରିବା ଏବଂ ସମାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେବାକୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ ସମୀକ୍ଷାବେଳେ କେତେକ ସୁଚିନ୍ତିତ ପ୍ରସ୍ତାବ ଦେଇଥିଲେ । ବିଶେଷକରି ସ୍ୱଚ୍ଛତା ରକ୍ଷା ଏବଂ ଖୋଲା ମଳତ୍ୟାଗ ମୁକ୍ତ ପରିବେଶ ସୃଷ୍ଟି କରିବା ଦିଗରେ ଏହି ସଂଗଠନମାନେ ଗ୍ରାମାଂଚଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଏହିଭଳି ଦେଶ ଗଠନ କାର୍ଯ୍ୟ ସକାଶେ ଯୁବ ସଂଗଠନମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଉଦ୍ଦୀପନା ଭରି ଦେବାଲାଗି ପ୍ରୟାସ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ୍ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବ ସଂଗଠନମାନେ ଦେଶବ୍ୟାପୀ ଚାଲିଥିବା ମିଶନ ଇନ୍ଦ୍ରଧନୁଷ ଅଭିଯାନରେ ନିଜକୁ ସକ୍ରିୟ ଭାବେ ନିୟୋଜିତ କରିପାରିବେ । ଏହାଦ୍ୱାରା ଟୀକାକରଣ ହୋଇନଥିବା ଅଂଚଳର ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ରୋଗ ପ୍ରତିଷେଧକ ପ୍ରଦାନ କରାଯାଇପାରିବ । ଜାନୁଆରୀ ୧୨ ତାରିଖରେ ଜାତୀୟ ଯୁବ ଦିବସ ପାଳନ ଅବସରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଅଭିଯାନ ଓ କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ଓ ସହଯୋଗ ରକ୍ଷା ଲାଗି ପ୍ରଧାନମନ୍ତ୍ରୀ ସରକାରୀ ଯୁବ ସଂଗଠନମାନଙ୍କୁ ପରାମର୍ଶ ଦେଇଥିଲେ । ଏ ପ୍ରକାର ସମନ୍ୱୟ ଦ୍ୱାରା ଯେକୌଣସି କାର୍ଯ୍ୟକୁ ଫଳପ୍ରଦ ଢଙ୍ଗରେ ସମ୍ପାଦନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ । ଏବେ ଦେଶ ବିଦେଶରେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ପ୍ରଭାବ ବିସ୍ତାର ହେଉଛି । ସରକାରୀ ଯୁବ ସଂଗଠନମାନେ ଏହି ମିଡିଆରେ ସକ୍ରିୟ ହେବାକୁ ସେ ଆହ୍ୱାନ ଦେଇଥିଲେ । ଏହାଦ୍ୱାରା ସରକାରୀ ଯୁବ ସଂଗଠନମାନେ ନିଜକୁ ଦେଶର ଯୁବ ଗୋଷ୍ଠୀ ଏବଂ ଯୁବଶକ୍ତି ସହ ନିଜକୁ ଯୋଡ଼ିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 


Author: UpdateNewsOdisha